ରାଉରକେଲା: ଓଡ଼ିଶା ପାଇଁ ଗର୍ବର ବିଷୟ। ରାଉରକେଲାର ନ୍ୟାସନାଲ୍ ଇନ୍ସ୍ଟିଟ୍ୟୁଟ୍ ଅଫ୍ ଟେକ୍ନଲୋଜି (NIT ରାଉରକେଲା) କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଦ୍ୱାରା ପରିଚାଳିତ SPARC (Scheme for Promotion of Academic and Research Collaboration) ଯୋଜନା ଅନ୍ତର୍ଗତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଗବେଷଣା ପ୍ରକଳ୍ପ ହାସଲ କରିଛି। ଏହି ଦୁଇଟି ପ୍ରକଳ୍ପ ପାଇଁ ସମୁଦାୟ ₹1.82 କୋଟିରୁ ଅଧିକ ଅନୁଦାନ ମଞ୍ଜୁର ହୋଇଛି। ପ୍ରତ୍ୟେକ ପ୍ରକଳ୍ପକୁ ଦୁଇ ବର୍ଷ ଧରି କାର୍ଯ୍ୟକରାଯିବ।
SPARC ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ଭାରତୀୟ ଉଚ୍ଚ ଶିକ୍ଷା ସଂସ୍ଥାଗୁଡ଼ିକୁ ବିଶ୍ୱର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ସହିତ ସଂଯୋଗ କରି ଗବେଷଣା, ଶିକ୍ଷା ଓ ନୂଆ ପ୍ରଯୁକ୍ତି ବିକାଶକୁ ଆଗେଇ ନେବା। ଏହି ଯୋଜନା ମାଧ୍ୟମରେ ଗବେଷକ ଓ ଅଧ୍ୟାପକ ଆଦାନ-ପ୍ରଦାନ, ସଂଯୁକ୍ତ ଗବେଷଣା ଏବଂ ଦକ୍ଷତା ବୃଦ୍ଧି ହୋଇଥାଏ।
NIT ରାଉରକେଲା ଦ୍ୱାରା ହାସଲ ହୋଇଥିବା ପ୍ରଥମ ପ୍ରକଳ୍ପଟି ହେଉଛି ସ୍ମାର୍ଟ ଏକ୍ସୋସ୍କେଲେଟନ୍ (Smart Exoskeletons) ସମ୍ପର୍କିତ, ଯାହା ମୁଖ୍ୟତଃ ବୟସ୍କ ବ୍ୟକ୍ତି ଓ ଷ୍ଟ୍ରୋକ୍ ପରେ ଅସୁବିଧାରେ ପଡ଼ୁଥିବା ରୋଗୀଙ୍କୁ ସହାୟତା କରିବ। ଏହି ପ୍ରଯୁକ୍ତି ଗ୍ରାମାଞ୍ଚଳରେ ସହଜ ଓ ସସ୍ତା ଭାବରେ ଚଳାଚଳ ଓ ଶାରୀରିକ ସମର୍ଥନ ପ୍ରଦାନ କରିବାରେ ଉପଯୋଗୀ ହେବ। ଏହା ଭାରତ ସହ ଆମେରିକାର ବିଶ୍ୱବିଦ୍ୟାଳୟମାନଙ୍କ ସହଯୋଗରେ କାର୍ଯ୍ୟାନ୍ୱୟନ ହେବ।
ଦ୍ୱିତୀୟ ପ୍ରକଳ୍ପଟି କୃଷି-ଖାଦ୍ୟ ପ୍ରଣାଳୀ ପାଇଁ ସ୍ମାର୍ଟ ଓ ସସ୍ଥାୟୀ ପ୍ରଯୁକ୍ତି ଉପରେ କେନ୍ଦ୍ରିତ। ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ଖାଦ୍ୟର ଗୁଣମାନ, ତାଜାପନ ଓ ସୁରକ୍ଷାକୁ କୌଣସି କ୍ଷତି ନ କରି ପରୀକ୍ଷା କରିବା। ଏହା ଦ୍ୱାରା ଖାଦ୍ୟ ନଷ୍ଟ କମିବ ଏବଂ କୃଷକ ଓ ଉପଭୋକ୍ତା ଉଭୟ ଲାଭାନ୍ୱିତ ହେବେ।
ଏହି ସଫଳତା NIT ରାଉରକେଲାଙ୍କ ଗବେଷଣା କ୍ଷେତ୍ରରେ ଆନ୍ତର୍ଜାତୀୟ ପରିଚୟକୁ ଆହୁରି ମଜବୁତ କରିବ। ସେହିପରି ଓଡ଼ିଶା ଓ ଦେଶର ସାମାଜିକ-ଆର୍ଥିକ ଉନ୍ନତିରେ ଏହି ପ୍ରକଳ୍ପଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବ ବୋଲି ଆଶା କରାଯାଉଛି।




